ନୂଆଦିଲ୍ଲୀ,୧୫।୧୦: ନଭେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଗତ ୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ତାରିଖ ଘୋଷଣା କରିଥିଲେ । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ହେବ । ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଏବଂ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଛିନ୍ଦବାଡ଼ା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହ ରାଘୋଗଡ଼ରୁ ନିର୍ବାଚନ ଲଢ଼ିବେ । ମୋଟ ୧୪୪ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି ।ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଥିଲା । ତେଣୁ ଏଥର ମଧ୍ୟ ଦଳ ବହୁମତ ହାସଲ କରି ସରକାର ଗଠନ ପାଇଁ ଜୋରଦାର ଭାବେ ପ୍ରୟାସ ଜାରି ରଖିଛି । ସେହିପରି ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଥିବା ବେଳେ ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଲିଷ୍ଟ ଜାରି କରାଯାଇଛି । ମୋଟ ୩୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେଲେଙ୍ଗାନାର ୫୫ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମରେ ହେଭି ଟକ୍କର ହେବ ।
- ମଧ୍ୟ ପ୍ରଦେଶ
ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦଳ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରିଛି। ୨୦୧୯ ଉପନିର୍ବାଚନରେ କମଲ ନାଥ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ଚାଚୌଡ଼ା ଆସନରୁ ପୁଣି ପ୍ରାର୍ଥୀ କରିଛି ଦଳ। ୨୦୧୮ ବିଧାନସଭା ନିର୍ବାଚନରେ ଲକ୍ଷ୍ମଣ ସିଂହ ଏହି ଆସନରୁ ବିଜୟୀ ହୋଇଥିଲେ।ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ରାଘୋଗଡ଼ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ସେ ଏହି ଆସନରୁ ୨୦୧୩ ଓ ୨୦୧୮ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।ବୁଧନୀ ଆସନରୁ କଂଗ୍ରେସ ବିକ୍ରମ ମସ୍ତାଲଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରୁ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟିକେଟ ଦେଇଛି।ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଜାରି କରିଥିବା ତାଲିକାରେ ୩୦ ଜଣ ଅନୁସୂଚୀତ ଜନଜାତି ଓ ୨୨ ଜଣ ଅନୁସୂଚୀତ ଜାତିର ପ୍ରାର୍ଥୀ ଅଛନ୍ତି। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ମଧ୍ୟ ପ୍ରଦେଶ ବିଧାନସଭାରେ ୨୩୦ଟି ଆସନ ରହିଛି।
- ଛତିଶଗଡ଼
ଛତିଶଗଡ଼ରେ ଉପମୁଖ୍ୟ ଟିଏସ୍ ସିଂହ ତାଙ୍କ ଆସନ ବଜାୟ ରଖିଛନ୍ତି। ସେ ଅମ୍ବିକାପୁର ଆସନରୁ ପୁଣି ଲଢ଼ିବେ। ୨୦୦୮ରୁ ସେ ଏହି ଆସନରେ ବିଜୟୀ ହୋଇଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ପ୍ରାର୍ଥୀ ହେବେ। ୨୦୦୩, ୨୦୧୩ ଓ ୨୦୧୮ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। ଏହି ଆସନରେ ଏଥର ତାଙ୍କର ମୁକାବିଲା ହେବ ତାଙ୍କର ଦୂର ସଂପର୍କୀୟ ତଥା ବିଜେପି ନେତା ବିଜୟ ବାଘେଲଙ୍କ ସହିତ। ବିଜୟ ବାଘେଲ ୨୦୦୮ରେ ଏହି ଆସନରୁ ଜିତିଥିଲେ।ଅମରଜୀତ ଭଗତଙ୍କୁ ସୀତାପୁର ଟିକେଟ ଦିଆଯାଇଛି। ସେ ଏହି ଆସନରୁ ୪ ଥର ଜିତିସାରିଛନ୍ତି। ଛତିଶଗଡ଼ ପାଇଁ କଂଗ୍ରେସ ଯେଉଁ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ସେଥିରୁ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର। ପ୍ରଥମ ତାଲିକାରେ ୩ ଜଣ ମହିଳାଙ୍କ ନାଁ ଅଛି। ଯେଉଁ ବିଧାୟକମାନେ କଡ଼ା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି, ସେମାନଙ୍କ ନାଁ ମଧ୍ୟ ଏହି ୩୦ ଜଣିଆ ତାଲିକାରେ ଅଛି। ଏଠାରେ ୯୦ଟି ବିଧାନସଭା ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ- ନଭେମ୍ବର ୭ ଓ ୧୭ରେ ଭୋଟ୍ ଗ୍ରହଣ ହେବ।
- ତେଲେଙ୍ଗାନା
ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏ.ଆର ରେଡ୍ଡୀଙ୍କୁ କୋଡ଼ଙ୍ଗଲ ଆସନ ମିଳିଥିବା ବେଳେ ଉତ୍ତମ କୁମାର ରେଡ୍ଡୀଙ୍କୁ ମିଳିଛି ହୁଜୁରନଗର ଆସନ। ଅନ୍ୟାନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଦସାରୀ ସୀତକ୍କା ମୁଲୁଗୁ ଆସନରୁ, ମିନାପାଲ୍ଲୀ ରୋହିତ ରାଓ ମେଡକ ଓ ମିନାପାଲ୍ଲୀ ହନୁମନ୍ତ ରାଓ ମାଲକାଜଗିରି ଆସନ ପାଇଁ ଟିକେଟ ପାଇଛନ୍ତି। ଏଠାରେ ମୋଟ ୧୧୯ଟି ଆସନ ଥିବା ବେଳେ ନଭେମ୍ବର ୩୦ରେ ଭୋଟ୍ ଗ୍ରହଣ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |