ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ,୧୭।୧୦: ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ବଲିଉଡ ଜଗତର ବର୍ଷିଆନ ଖ୍ୟାତନାମା ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପୁଷ୍ପା ପାଇଁ ଅଲ୍ଲୁଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ଚଳଚ୍ଚିତ୍ର ‘ମିମି’ ପାଇଁ କ୍ରୀତି ସନ୍ନୋନ ଓ ଗଙ୍ଗୁବାଇ ଗାଥିଆୱାର୍ଡ ଲାଗି ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା ଓ ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି।ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହୋଇଛି ‘ପ୍ରତୀକ୍ଷା’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କଲେ ନିର୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିଥିବା ‘ପ୍ରତୀକ୍ଷା’ର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ମୁକ୍ତିଲାଭ ହେବା ପରେ ବେଶ ସଫଳତା ସାଉଁଟି ଥିଲା।ଭିକ୍କି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଥିବାବେଳେ ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ନିର୍ଦେଶନାରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ପୁରସ୍କାର ପ୍ରଦାନ କରାଯାଇଛି।ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ ୨୪ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା ପ୍ରକାଶ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!