୪ ଇକୋରିଟ୍ରିଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୧:ରାଜ୍ୟର ଚାରୋଟି ସ୍ଥାନରେ ଇକୋରିଟ୍ରିଟ୍‌ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କୋରାପୁଟର ପୁଟସିଲ୍‌, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି ଭଳି ୪ଟି ସ୍ଥାନରେ ଇକୋରିଟ୍ରିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ୪ବର୍ଷ ଧରି ଇକୋରିଟ୍ରିଟ୍‌ ସଫଳତାର ସହ ଆୟୋଜନ ହୋଇଛିଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରମ ଦୃଶ୍ୟ ସହ ଆରାମଦାୟକ ରହିବା ବ୍ୟବସ୍ଥା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆୟୋଜିତ ଏକ ସଭାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ଏହି ସଭାରେ ଉକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ବିଧାୟକ, ଏସପି, ସିଡିଓ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ତଥା ପର୍ଯ୍ୟଟନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।୨୦୧୯ରେ କୋଣାର୍କର ରାମଚଣ୍ଡୀ ସମୁଦ୍ର ବେଳାଭୂମିରେ ଇକୋରିଟ୍ରିଟ୍‌ ପ୍ରଥମ ସଫଳତା ପାଇବା ପରେ ୨୦୨୦ରେ ସାତକୋଶିଆ(ବାଲିପୁଟ), ଭିତରକନିକା, ଦାରିଙ୍ଗବାଡି ଓ ହୀରାକୁଦରେ ଇକୋରିଟ୍ରିଟ୍‌ ଆରମ୍ଭ କରାଯାଇଥିଲା। ସେହିପରି ୨୦୨୨ରେ କୋରାପୁଟର ପୁଟସିଲ୍‌ ଓ ସୋନପୁର ସମୁଦ୍ର ବେଳାଭୂମିରେ ଆଉ ଦୁଇଟି ସ୍ଥାନରେ ଇକୋରିଟ୍ରିଟ୍‌ ଆରମ୍ଭ କରାଯାଇଥିଲା। ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପର୍ଯ୍ୟଟକଙ୍କୁ ରାତ୍ରିଯାପନ ସୁବିଧା ପାଇବା ସହିତ ଜଳକ୍ରୀଡା, ସାନ୍ଧ୍ୟକାଳୀନ ଭ୍ରମଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ରେସ୍ତୋରାଁ, ଚିତ୍ତବିନୋଦନ କରିପାରିବେ। ଆଜିଠାରୁ ଆରମ୍ଭ ହୋଇଥିବା ୪ଟି ଇକୋରିଟ୍ରିଟ୍‌ରେ ୨୫ ତମ୍ବୁରେ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହୀରାକୁଦ ନିକଟରେ ଦେବ୍ରିଗଡ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜଳଭଣ୍ଡାର ଅବସ୍ଥିତ। ଏଠାରେ ପାରାସେଲିଂ, ଜେଟ୍ ସ୍କିଂ, ବାନାନା ଡଙ୍ଗା ଚାଳନା ଇତ୍ୟାଦି ବିଭିନ୍ନ ରୋମାଞ୍ଚକର ଜଳ କ୍ରୀଡାର ସୁଯୋଗ ଭ୍ରମଣକାରୀ ପାଇପାରିବେ। ସେହିପରି ଦାରିଙ୍ଗବାଡିର ସୁନ୍ଦର ଉପତ୍ୟକା ଏବଂ ମାଳଭୂମି ଏବଂ କଫି ବଗିଚା ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ। ସାତକୋଶିଆରେ ମହାନଦୀ ସହିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ରହିଛି। ଏଠାରେ ଭଲିବଲ୍, ତୀରନ୍ଦାଜ, ରାଇଫଲ୍ ଗୁଳି, ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣର ସୁବିଧା କରାଯାଇଛି। କୋରାପୁଟ ଜିଲାର ଦେଓମାଳି ପାହାଡ଼ ଉପରେ ପୁଟସିଲ୍‌ ଅବସ୍ଥିତ। ପୁଟସିଲ୍‌ ଉପତ୍ୟକାକୁ ଯିବା ବାଟରେ ଜଳପ୍ରପାତ, କଫି ବଗିଚା ପର୍ଯ୍ୟଟକ ଉପଭୋଗ କରିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!