ମୁମ୍ବଇ,୨।୧୧: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୧୩ତମ ସଂସ୍କରଣର ୩୩ ତମ ମ୍ୟାଚ ଗୁରୁବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ସପ୍ତମ ଲିଗ୍ ମ୍ୟାଚ ଖେଳିବେ। ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଭାରତ ସେମିଫାଇନାଲରେ ଏକ ପ୍ରକାର ସ୍ଥାନ ସୁରକ୍ଷିତ କରି ସାରିଥିବାବେଳେ ବିଜୟ ବଜାୟ ଲକ୍ଷ୍ୟ ନେଇ ଖେଳିବ। ଶ୍ରୀଲଙ୍କା ଯଦି ଉକ୍ତ ମ୍ୟାଚରେ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡିବ।ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ୬ଟି ମ୍ୟାଚରୁ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ ଓ ବାଂଲାଦେଶକୁ ୭ ୱିକେଟରେ ଓ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ଓ ଇଂଲଣ୍ଡକୁ ୧୦୦ରନରେ ପରାସ୍ତ କରିଛି। ବ୍ୟାଟିଂରେ ରୋହିତ ଶର୍ମା ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହ ୩୯୮ରନ, ବିରାଟ କୋହଲି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୩୫୪ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ୍, ଶ୍ରେୟାସ ଆୟର .ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରନ କରୁଛନ୍ତି।ବିଶ୍ବକପ୍ ମଇଦାନ ହୋଇଥିବାରୁ ସିଂହଳୀ ଦଳର ଯୁବ ଖେଳାଳିମାନେ କିଛି ବି କରିସ୍ମା କରିପାରନ୍ତି। ସଦୀରା ସମରବିକ୍ରମା ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ଦେଶର ଅଗ୍ରଣୀ ରନ୍ ସଂଗ୍ରହକାରୀ (୩୩୧) ଥିବାବେଳେ ପଥୁମ ନିଶଙ୍କା ଚଳିତ ସଂସ୍କରଣରେ ୪ ଅର୍ଦ୍ଧଶତକ ହାସଲ କରିଥିବାରୁ ଏହି ଦୁଇ ଖେଳାଳିଙ୍କ ଉପରେ ଦଳ ଭରସା ରଖିବ। ଶୁବମନ ଗିଲଙ୍କ ପରେ ନିଶଙ୍କା ଚଳିତ ବର୍ଷ ଦ୍ବିତୀୟ ଖେଳାଳି ଭାବେ ୧୦୦୦ ଦିନିକିଆ ରନ୍ ପୂର୍ଣ୍ଣ କରିଛନ୍ତି। ତଥାପି ପ୍ରତ୍ୟାବର୍ତ୍ତନ କରିଥିବା ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଏବଂ ଅଧିନାୟକ କୁସାଲ ମେଣ୍ଡିଜ୍ଙ୍କଠାରୁ ବଡ଼ ପାଳି ଆଶା ରଖିଛି ଦଳ। ଅଭିଜ୍ଞ ଖେଳାଳିଙ୍କ ବିନା ଦଳର ବୋଲିଂ କସୁନ ରଜିଥା, ମହେଶ ତୀକ୍ଷଣା, ଦିଲସାନ ମଧୁଶଙ୍କା, ଦୁଶ୍ମନ୍ତ ଚାମିରା ଓ ଆଞ୍ଜେଲୋ ମାଥ୍ୟୁସ ପ୍ରମୁଖଙ୍କ ଉପରେ ରହିବ। ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ ପିଚ୍ରେ ରନ୍ ବର୍ଷା ଏକ ନିୟମିତ ବ୍ୟାପାର ହୋଇଥିବାରୁ ଏଠାରୁ ଶ୍ରୀଲଙ୍କା କେତେ ଫାଇଦା ଉଠାଇବ, ତାହା ଉପରେ ସମସ୍ତଙ୍କ ନଜର।
ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର/ଈଶାନ କିଶନ, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, କୁଲଦୀପ ଯାଦବ, ମହମ୍ମଦ ସାମି/ଶାର୍ଦୁଳ ଠାକୁର।
ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ/ଅଧିନାୟକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଆଞ୍ଜେଲୋ ମାଥ୍ୟୁସ, ମହେଶ ତୀକ୍ଷଣା, କସୁନ ରଜିଥା, ଦୁସ୍ମନ୍ତ ଚାମିରା, ଦିଲସାନ ମଧୁଶଙ୍କା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |