ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ

କଟକ,୧୬।୧୧: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଅହେତୁକ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଆଜିଠାରୁ କାମ ଆରମ୍ଭ କରିବାକୁ ଏଏସଆଇକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ପୁରୀ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାର ବୁଧବାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ସମୟ ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌‌ଆଇ) ସତ୍ୟପାଠରେ ଯାହା ଉଲ୍ଲେଖ କରିଥିଲା, ତାହାକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଗୁରୁବାରଠାରୁ ଏଏସ୍‌‌ଆଇ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ କହିଛନ୍ତି। ଅଭିଷେକ ଦାସଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍‌‌.ଏସ୍‌‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଏସ୍‌‌ଆଇ ପକ୍ଷରୁ ବୁଧବାର ଏକ ସତ୍ୟପାଠ ଦାଖଲ କରାଯାଇଥିଲା।ସେଥିରେ ଆସନ୍ତା ୨୦୨୪ ଜାନୁଆରୀ ୨୦ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଗତ ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ବିଭାଗ ସହ ଏକ ବୈଠକ କରିଥିଲା ଏଏସ୍‌‌ଆଇ। ଏବେ କାର୍ତ୍ତିକ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୦ରୁ ମରାମତି କାମ ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ଏଏସ୍‌‌ଆଇ ହାଇକୋର୍ଟଙ୍କୁ ଜଣାଇଥିଲା। ହେଲେ ଆସନ୍ତା ଜାନୁଆରୀ ୨୦ ପର୍ଯ୍ୟନ୍ତ ଅପେକ୍ଷା ନକରି ଗୁରୁବାରଠାରୁ କାମ ଆରମ୍ଭ କରିବାକୁ ଏଏସ୍‌‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ନାଟମଣ୍ଡପ ବିମ୍‌‌ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ। ସେହିପରି ଆମିକସ୍‌‌କ୍ୟୁରୀ ଏହି ମରାମତି କାର୍ଯ୍ୟ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଅଦାଲତରେ ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି ଖଣ୍ଡପୀଠ।ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ।ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ୍ ବିମ୍ କୁ ସପୋର୍ଟିଂ ବିମ୍ ଦିଆଯିବ। କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ। ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଦ୍ୱାରା ଏହାକୁ ଶକ୍ତ କରାଯିବ। ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ଆସି ସାରିଛି ବୋଲି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ କହିଛନ୍ତି। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗଳହି ହେଉଛି। ତେଣୁ ମରାମତି କାମ ପାଇଁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ। ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତା’ସହ ଆଜିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତା’ର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!