ମାର୍ଶାଘାଇ,୧୮ା୧୧ : କୋଲକାତାରୁ ପାରାଦୀପ ଆସୁଥିବା ସଦାନନ୍ଦ ବସ୍ ନିଆଁରେ ପୋଡ଼ି ହୋଇ ଇଚ୍ଛାପୁର ନିଳାଦ୍ରୀପୁର ଗାଁର ପୁଷ୍ପାଞ୍ଜଳି ଦାସଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ପୂରିବାକୁ ବସିଲାଣି। କିନ୍ତୁ ଏଯାଏ ଗାଁକୁ ଶବ ଆସିପାରୁ ନାହିଁ। ଶବ ସ˚ସ୍କାର ହେଇ ନଥିବାରୁ ପରିବାରରେ ଚୁଲି ଜଳିପାରୁନାହିଁ କି’ ପରବର୍ତ୍ତୀ ଶୁଦ୍ଧିକ୍ରିୟା କର୍ମ ହେଇପାରୁନାହିଁ। ଏଭଳି ସ୍ଥିତିରେ ପଡେ଼ାଶୀ ସାହି ଭାଇ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଶେଷରେ ପରିବାର ଲୋକେ ଓ ସାହି ଭାଇ ଏକାଠି ହେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋଲ୍କାତାରୁ ପାରାଦୀପ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ରେ ଗତ ୧୦ ତାରିଖ ରାତିରେ ନିଆଁ ଲାଗି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିଲା। ମାର୍ଶାଘାଇ ଥାନା ଅଙ୍ଗୁଳାଇ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମର ରାଜେନ୍ଦ୍ର ଦାସଙ୍କ ପତ୍ନୀ ପୁଷ୍ପାଞ୍ଜଳି (୩୫) ଦୀପାବଳି ଉପଲକ୍ଷେ ନିଜ ଗ୍ରାମକୁ ଆସୁଥିବା ବେଳେ ଖଡ଼ଗପୁର ନିକଟରେ ବସ୍ରେ ନିଆଁ ଲାଗିଯିବା ପରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖଡ଼ଗପୁର ଡାକ୍ତରଖାନାରେ ତାଙ୍କ ମୃତଦେହ ସଂରକ୍ଷିତ ହୋଇ ରହିଥିବା ବେଳେ ଚିହ୍ନଟ ପାଇଁ ଡିଏନ୍ଏ ଟେଷ୍ଟର ଆବଶ୍ୟକତା ଥିବାରୁ ସେଠାକାର ପ୍ରଶାସନିକ ଉଦାସୀନତା କାରଣରୁ ଏହା ବିଳମ୍ବ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଆଜକୁ ୮ ଦିନ ହେବ ମୃତଦେହ ଗଁାକୁ ଆସି ପାରିଲାନାହିଁ। ପରିବାର ଲୋକେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ତାଙ୍କର କ୍ରିୟାକର୍ମ କରୁଛନ୍ତି। ଆହୁରି ମଧ୍ୟ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ପରିବାର ଲୋକ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ପ୍ରଶାସନ ଖାଲି ଆଶ୍ୱାସନା ଦେଉଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଉଭୟ ଜିଲା ପ୍ରଶାସନ ମଧ୍ୟରେ ସମନ୍ବୟ ରହିଥିଲେ ହୁଏତ ମୃତଦେହ ଗାଁକୁ ଆସି ସଂସ୍କାର ହୋଇପାରିଥାନ୍ତା ବୋଲି ଗଁା ଲୋକେ କହିଛନ୍ତି। ସର୍ବଶେଷ ଖବର ଅନୁଯାୟୀ, ଶୁକ୍ରବାର ମୃତା ମହିଳାଙ୍କ ଭାଇ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ଼ ପଞ୍ଚାୟତର ନଛିପଡ଼ା ଗ୍ରାମର ବିକାଶ କୁମାର ଦାସଙ୍କ ରକ୍ତ ନମୁନା କୋଲ୍କାତାସ୍ଥିତ ଫରେନ୍ସିକ ସାଇନ୍ସ ଲାବରେଟୋରି ପକ୍ଷରୁ ସଂଗ୍ରହ କରାଯାଇଛି। ଶନିବାର ଓ ରବିବାର ଛୁଟି ଥିବାରୁ ସୋମବାର ଯଦି ରିପୋର୍ଟ ଆସେ ତେବେ ମହିଳାଙ୍କ ଏକାଦଶାହ କାର୍ଯ୍ୟ ସରିଯାଇଥିବ। ତେଣୁ ତାଙ୍କ ମୃତଦେହ ଗ୍ରାମକୁ ଆସିବା ସମ୍ଭାବନା କ୍ଷୀଣ ବୋଲି ନିକଟ ପଡ଼ୋଶୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |