ଭୁବନେଶ୍ବର,୧୮।୧୧: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ଶ୍ରୀ ବଂଶଲ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେଉଥିବା ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ନୂଆବର୍ଷରେ ନୂଆ ପୁଲିସ ମୁଖିଆ ମିଳିବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ପୁଲିସ ଡ଼ିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ୩୧ ତାରିଖରେ ଶେଷ ହେବ। ତେବେ ନୂଆ ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ନୂଆ ପୁଲିସ ଡ଼ିଜି ପଦବୀ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ଏଥିରେ ବି ରାଧିକା, ଏ. ଏମ୍. ପ୍ରସାଦ, ୱାଇ.ବି ଖୁରାନିଆ, ଏସ୍ଏମ୍ ନରୱଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ସାମିଲ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |