ନୂଆଦିଲ୍ଲୀ,୧୯ା୧:ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ସ ଦେଲେ, ତା’ର କାରଣ ଦର୍ଶାଇବେ। କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)।ରୋଗର ଲକ୍ଷଣ, କାରଣ ସହିତ ଆଣ୍ଟିବାୟୋଟିକ୍ସ ପ୍ରୟୋଗର ଆବଶ୍ୟକତା କାହିଁକି ରହିଛି, ତାହା ଲେଖିବେ ଡାକ୍ତର। ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।ଦେଶରେ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଏବଂ ଦେଶରେ ରୋଗୀଙ୍କ ମଧ୍ୟରେ ଆଣ୍ଟିମାଇକ୍ରୋବିୟାଲ୍ ପ୍ରତିରୋଧ (AMR) ଶକ୍ତି ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇବା ପରେ ଏପରି କରିବାରୁ ସରକାରଙ୍କ ତରଫରୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । କିଛି ଦିନ ପୂର୍ବେ DGHS ଡାକ୍ତର ଅତୁଲ ଗୋଏଲ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ସ୍ପଷ୍ଟ ଭାବେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତରମାନଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା ।ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର କାର୍ଯ୍ୟସୂଚୀ ଅନୁସାରେ ଯେକୌଣସି ଔଷଧର H ଏବଂ H1 କାର୍ଯ୍ୟକାରୀ କରିବା ଏବଂ କେବଳ ଡାକ୍ତରଙ୍କ ଦ୍ୱାରା ଲେଖା ଯାଇଥିବା ବୈଧ ପ୍ରେସକ୍ରିପସନ ଦେଖିକି ହିଁ ଆଣ୍ଟିବାୟୋଟିକ୍ ବିକ୍ରୟ କରିବା ପାଇଁ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ସମଗ୍ର ଦେଶରେ ଡାକ୍ତରମାନଙ୍କ ପାଇଁ ଏପରି ନିର୍ଦ୍ଦେଶ ଜାରି ହୋଇଛି ।ଅନ୍ୟପଟେ ବିଭିନ୍ନ ଔଷଧର ଅପବ୍ୟବହାର ଦ୍ୱାରା ଶରୀରରେ AMR ବଢ଼ୁଛି । ଫଳରେ ବିଭିନ୍ନ ପ୍ରକାର ରୋଗ ହେଉଛି । ଆଜିକାଲି ବଢ଼ୁଥିବା ହୃଦଘାତ ମଧ୍ୟ ଏଥିପାଇଁ ହେଉଥିବା ଜଣା ପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |