ଭୁବନେଶ୍ୱର,୬ା୨:କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆଜି ଅପରାହ୍ନରେ ଓଡ଼ିଶାରେ ପହଂଚିବ। ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ । ୬ ଓ ୭ ତାରିଖ ଦୁଇ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ରହିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟର ସମସ୍ତ ବରିଷ୍ଠ ନେତା ଏବେ ରାଉରକେଲାରେ ଡେରା ପକାଇଛନ୍ତି ।ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି ।ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ସମ୍ପର୍କରେ ଗତକାଲି ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଫେବୃଆରୀ ୬ ତାରିଖ (ମଙ୍ଗଳବାର) ଅପରାହ୍ଣ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାସଜୋଲଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଂଚିବେ । ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ପରେ ସେଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ହସ୍ତାନ୍ତର କରାଯିବ । ସେଠାରୁ ରାହୁଲ ୧୧କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ସେଠାରେ ରାତ୍ରି ରହଣୀ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି ।ପରଦିନ ଅର୍ଥାତ୍ ଫେବୃଆରୀ ୭ ତାରିଖ ସକାଳ ୮.୪୫ରେ ରାହୁଲ ଗାନ୍ଧି ଶିବିର ଛାଡ଼ିବେ । ସାଢ଼େ ୯ଟାରେ ରାଉରକେଲା ଉଦିତନଗର (ଏସପି ଅଫିସ) ଠାରୁ ଯାତ୍ରା ଆରମ୍ଭ କରିବେ । ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍ବୋଧନ ଦେବେ । ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଂଚିବ । ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ ।
ପରଦିନ ଅର୍ଥାତ୍ ୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧି ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କିମି ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଂଚିବ । ସେଠାରୁ ୭କିମି ଦୂର କୁରେଇମାଳଠାରେ ମଧ୍ୟାହ୍ନଭୋଜନ କରିବେ । ପୁଣି ଅପରାହ୍ଣ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ୧୮କିମି ଦୂର ଝାରସୁଗୁଡ଼ାର କନକତୋରା ଠାରେ ପହଂଚିବ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଂଚିବା ପରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କୁ ପତାକା ହସ୍ତାନ୍ତର କରାଯିବ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଯିବା ଫଳରେ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତା, ଜନସାଧାରଣ ଓ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |