ଭୁବନେଶ୍ବର,୧୯।୨: କାଲିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ଏହାଦ୍ୱାରା କପିକୁ ରୋକି ହେବ ବୋଲି ଟାର୍ଗେଟ ରଖାଯାଇଛି।ଆସନ୍ତା କାଲିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍କୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ। ପୂର୍ବାହ୍ନ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ। ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |