ପୁରୀ,୩ା୭:ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଅଣସରର ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ।ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ। ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଇଥାଏ। ଭୋଗମଣ୍ଡପ ଉଠିବା ପରେ ଏହି ଦ୍ୱାଦଶୀ ନୀତି ସମ୍ପନ୍ନ ହେବ। ଏକାଦଶୀରେ ଦଶମୂଳମୋଦକ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।ସେପଟେ ରଥଯାତ୍ରାକୁ ଆଉ ମାତ୍ର ୩ଦିନ ରହିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାମ। ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣରେ ମଜି ଯାଇଛନ୍ତି। ସେହିପରି ତିନି ରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |