ଆସିଲା ରିପୋର୍ଟ : ଚିଲିକାରେ କମିଲେ ବିଦେଶୀ ପକ୍ଷୀ

ଖୋର୍ଦ୍ଧା ,୧୯।୧: ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ, ନୂଆପଡ଼ା, ସାତପଡ଼ା, ରମ୍ଭା ଅଞ୍ଚଳରେ ଶନିବାର ସକାଳେ ପକ୍ଷୀଗଣନା ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ ଅନେକ ଦେଶୀ-ବିଦେଶୀ ପକ୍ଷୀ ଆସିଛନ୍ତି l ମାତ୍ର ଗତ ବର୍ଷ ତୁଳନାରେ ଚଳିତବର୍ଷ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିଛି l ଏନେଇ ସୂଚନା ଦେଇଛନ୍ତି ଡିଏଫଓ lଚଳିତବର୍ଷ ଚିଲିକା‌ରେ ମୋଟ ୧୯୬ ପ୍ରଜାତିର ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ଟି ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ୮୭ ପ୍ରଜାତିର ୪୦ହଜାର ୨ଟି ପକ୍ଷୀ ରହିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମିଳିତ ଆନୁକୂଲ୍ୟରେ ହୋଇଥିବା ପକ୍ଷୀଗଣନାରୁ ଏଭଳି ତଥ୍ୟ ମିଳିଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ପ୍ରଜାତି ସଂଖ୍ୟାରେ ବୃଦ୍ଧି ହୋଇଛି। ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଆସିଥିଲେ। ତନ୍ମଧ୍ୟରୁ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୯ ଶହ ୪୬ଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଥିବା ବେଳେ ୧୦, ୫୩୧ଟି ପକ୍ଷୀ କମିଛନ୍ତି। ସେହିପରି ଚଳିତ ବର୍ଷ ସର୍ବାଧିକ ପକ୍ଷୀ ବାଲୁଗାଁ ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ଟି ପକ୍ଷୀଙ୍କ ଆଗମନ ହୋଇଛି। ପୂର୍ବବର୍ଷ ନଳବଣରେ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଆସିଥିଲେ। ଚଳିତବର୍ଷ ୪ ହଜାର ୫୪ଟି ହ୍ରାସ ପାଇଛି। ତେବେ ନଳବଣରେ ସର୍ବାଧିକ ପକ୍ଷୀ ଦେଖାଯାଇଛି।ଚଳିତ ବର୍ଷ ସର୍ବାଧିକ ସଂଖ୍ୟାରେ ଗଡ଼ୱାଲ ୨ ଲକ୍ଷ ୧ ହଜାର ୯୨୬, ନର୍ଦନ ପିନ୍‌ଟେଲ୍‌ ୧ ଲକ୍ଷ ୯୩ ହଜାର ୩୯୪ଟି, ୟୁରାସିଆନ କ୍ୟୁଜ୍‌‌ୟନ ୧ ଲକ୍ଷ ୫୪ ହଜାର ୯୩୭, ବ୍ଲାକଟେଲ ଗଡ଼ୱାଲ ୬୮ ହଜାର ୩୭୯, କମନ୍‌‌ କୁଟ୍‌‌ ୫୪ ହାଜର ୭୮୭ ଆସିଛନ୍ତି। ସେହିପରି ଚିଲିକାର ଶୋଭାମଣ୍ଡନ କରୁଥିବା ଫ୍ଲେମିଙ୍ଗୋ ପକ୍ଷୀ ଗତବର୍ଷ ୮୨୦ଟି ଆସିଥିବା ବେଳେ ଚଳିତବର୍ଷ ବୃଦ୍ଧି ପାଇ ୨ ହଜାର ୬୩୮ଟି ପକ୍ଷୀ ଆସିଥିବା ଗଣନାରୁ ଜଣାଯାଇଛି। ସୁଦୂର ସାଇବେରିଆ, କାଜାକିସ୍ଥାନ, ଋଷ, ଆମେରିକା, ଇରାନ୍‌‌, ଆଫଗାନିସ୍ଥାନ, ଲଦାଖ ସମେତ ହିମାଳୟ ଆଦି ଅଞ୍ଚଳରୁ ଗତ ବର୍ଷ ୧୮୭ ପ୍ରଜାତିର ବିଦେଶାଗତ ଲକ୍ଷଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୯୬ ପ୍ରଜାତିର ପକ୍ଷୀ ଆସିଛନ୍ତି। ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡ଼ା, ରମ୍ଭା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!