ଭୁବନେଶ୍ୱର ,୧୫।୦୯ : ଓଡ଼ିଶାରେ ଖରିପ ଚାଷ ଚାଲିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ । ଏହାକୁ ନେଇ ଆଜି ରାଜଭବନ ସମ୍ମୁଖରେ ବିଜେଡ଼ି-ପୋଲିସ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।ଚାଷୀଙ୍କୁ ସାରର ଅତ୍ୟନ୍ତ ଆବଶ୍ୟକତା ରହିଛି। ହେଲେ ରାଜ୍ୟ ସରକାର ସାର ଯୋଗାଇ ପାରୁନାହାନ୍ତି। ଚାଷୀ ସାର ପାଇଁ ଦହଗଞ୍ଜ ହେଉଛନ୍ତି। ଚାଷୀଙ୍କୁ ସାର ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି।ଏକ ବିରାଟ ରାଲି କରି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି। ଏଥିସହ ତୁରନ୍ତ ସାର ସଙ୍କଟର ସମାଧାନ ପାଇଁ ଦାବି କରିଛି। ସେପଟେ ବିଜେଡି ରାଲି କରି ରାଜଭବନ ଆଡ଼କୁ ଯାଉଥିବା ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୋଲିସ ସହ ଦଳର ନେତାଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେଡି ନେତା। ସେପଟେ ସରକାରଙ୍କୁ ସିଧା ଟାର୍ଗେଟ କରିବା ସହ ଏଥିପାଇଁ ବଡ ଷଡଯନ୍ତ୍ର ହୋଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଜେଡିର ଏଭଳି ଅଭିଯୋଗକୁ ଭିତ୍ତିହୀନ କହିବା ସହ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ସାର ମହଜୁଦ ଥିବା କହିଛନ୍ତି ବିଜେପି ମୁଖପାତ୍ର ମନୋଜ କୁମାର ମହାପାତ୍ର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |